ଫ୍ୟାକ୍ଟ ଚେକ୍: ସିନେମା ହଲରେ ‘ପଠାନ୍’ ଦେଖିବାକୁ ଆସିଥିବା ଦର୍ଶକଙ୍କ ମଧ୍ୟରେ ଥଣ୍ଡା ପାନୀୟକୁ ନେଇ ଝଗଡ଼ା ହୋଇଥିଲା, ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ ସଂଘର୍ଷର ଦାବି ଭୁଲ୍
- By Vishvas News
- Updated: February 8, 2023

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ଫିଲ୍ମ ‘ପଠାନ’ ସମ୍ବନ୍ଧୀୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଅନେକ ଲୋକ ଝଗଡ଼ା କରୁଛନ୍ତି। ଭିଡିଓର ବ୍ୟାକଗ୍ରାଉଣ୍ଡରେ ଏହି ଚଳଚ୍ଚିତ୍ରର ‘ଝୁମେ ଜୋ ପଠାନ୍’ ଗୀତଟି ବାଳୁଛି। କିଛି ସୋସିଆଲ ମିଡିଆ ୟୁଜର୍ ଏହି ଭିଡିଓ ସେୟାର କରି ଦାବି କରୁଛନ୍ତି ଯେ ଶାହରୁଖ ଖାନଙ୍କ ସମର୍ଥକମାନେ ଥିଏଟରରେ ବଜରଙ୍ଗ ଦଳର ସଦସ୍ୟ ତଥା ଅନ୍ୟ ବିରୋଧକାରୀମାନଙ୍କୁ ମାଡ଼ ମାରିଥିଲେ।
ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରୁ ଜାଣି ପାରିଛି ଯେ ଭିଡିଓ ସହିତ ହେଉଥିବା ଭାଇରାଲ ଦାବି ବିଭ୍ରାନ୍ତିକର। ବାସ୍ତବରେ, ଅମରୋହାର ଏକ ଥିଏଟରରେ ଚଳଚ୍ଚିତ୍ର ଦେଖିବାକୁ ଯାଇଥିବା ଦର୍ଶକଙ୍କ ମଧ୍ୟରେ କୋଲ୍ଡ ଡ୍ରିଙ୍କ୍ସକୁ ନେଇ ଝଗଡ଼ା ହୋଇଥିଲା। ଶାହାରୁଖଙ୍କ ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ ଝଗଡା ଭଳି କୌଣସି ଦିଗ ନାହିଁ।
ଭାଇରାଲ୍ ପୋଷ୍ଟରେ କ’ଣ ଅଛି
ଫେସବୁକ ବ୍ୟବହାରକାରୀ ୱାହିଦ ଜମାନ (ଆର୍କାଇଭ୍ଡ ଲିଙ୍କ୍) ଜାନୁଆରୀ 29 ରେ 32 ସେକେଣ୍ଡର ଭିଡିଓ ପୋଷ୍ଟ କରି ଲେଖିଥିଲେ,
(ଶାହରୁଖ ଖାନଙ୍କ ସମର୍ଥକମାନେ ଥିଏଟରରେ ବଜରଙ୍ଗ ଦଳ ସଦସ୍ୟ ଏବଂ ବିରୋଧକାରୀମାନଙ୍କୁ ମାଡ଼ ମାରିଲେ।)
ଅନୁସନ୍ଧାନ
ଭାଇରାଲ୍ ଭିଡିଓର ଯାଂଚ ପାଇଁ ଆମେ ପ୍ରଥମେ ଗୁଗୁଲରେ ଏହା ବିଷୟରେ କୀୱର୍ଡ ମାଧ୍ୟମରେ ଓପନ୍ ସର୍ଚ୍ଚ କରିଥିଲୁ। ଆଜ୍ ତକ୍ର ୟୁଟ୍ୟୁବ୍ ଚ୍ୟାନେଲରେ ଆମେ ଏହା ସହ ଜଡ଼ିତ ଭିଡିଓ ନ୍ୟୁଜ୍ ପାଇଲୁ। ଏହା 27 ଜାନୁଆରୀରେ ଅପଲୋଡ୍ ହୋଇଛି।
ଏଥିରେ ଭାଇରାଲ୍ ଭିଡିଓ ମଧ୍ୟ ଦେଖାଯାଇ ପାରିବ। ଏହି ଖବର ଅନୁଯାୟୀ, ଘଟଣାଟି ଅମରୋହାର ମାଧୌ ସିନେପ୍ଲେକ୍ସରେ ଘଟିଛି। ସେଠାରେ ପଠାନ୍ ଫିଲ୍ମ ଦେଖିବାକୁ ଆସିଥିବା ଦର୍ଶକ ଥଣ୍ଡା ପାନୀୟକୁ ନେଇ ଝଗଡ଼ା କରିଥିଲେ। ସିନେମା ହଲ୍ର ବୁକିଂ କ୍ଲର୍କ କହିଛନ୍ତି ଯେ ଥଣ୍ଡା ପାନୀୟ ପ୍ରଥମେ ନେବାକୁ ନେଇ କ୍ୟାଣ୍ଟିନରେ ଦୁଇଜଣ ଯୁବକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ଜାନୁଆରୀ 27 ରେ ଅମର ଉଜାଲାରେ ପ୍ରକାଶିତ ଖବର ଅନୁଯାୟୀ ଅମରୋହା ସ୍ଥିତ ମାଧୌ ସିନେପ୍ଲେକ୍ସରେ ଫିଲ୍ମ ଦେଖିବାକୁ ଆସିଥିବା ଦର୍ଶକ ପରସ୍ପର ମଧ୍ୟରେ ସଂଘର୍ଷ କରିଥିଲେ। ଥଣ୍ଡା ପାନୀୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ସିନେପ୍ଲେକ୍ସର ମ୍ୟାନେଜରଙ୍କ କହିବା ଅନୁଯାୟୀ କ୍ୟାଣ୍ଟିନରେ କେବଳ ଗୋଟିଏ ଥଣ୍ଡା ପାନୀୟ ଥିଲା। ଏହାକୁ ନେବାକୁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା, ଯାହା ପରେ ମାମଲା ବଢ଼ି ଯାଇଥିଲା।

27 ଜାନୁଆରୀରେ ଟାଇମ୍ସ ଅଫ୍ ଇଣ୍ଡିଆରେ ଏ ବିଷୟରେ ଏକ ଭିଡିଓ ନ୍ୟୁଜ୍ ମଧ୍ୟ ପ୍ରକାଶ ପାଇଛି। ଏହି ଖବର ଅନୁଯାୟୀ, ଅମରୋହାର ସିନେମା ହଲରେ ପଠାନ୍ ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ଥଣ୍ଡା ପାନୀୟକୁ ନେଇ ଦୁଇ ଗୋଷ୍ଠୀ ପରସ୍ପର ଭିତରେ ସଂଘର୍ଷ କରିଥିଲେ। ଭିଡିଓ ଭାଇରାଲ ହେବା ପରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଜାନୁଆରୀ 27 ରେ ଅମରୋହା ପୋଲିସର ଭେରିଫାଏଡ୍ ଟ୍ୱିଟର ହ୍ୟାଣ୍ଡେଲରେ ସିଓ ନଗରଙ୍କର ବିବୃତ୍ତି ଟ୍ୱିଟ କରାଯାଇଛି। ସିଓଙ୍କ କହିବା ଅନୁଯାୟୀ, କୋତୱାଲି ନଗର ଥାନାର ମାଧୌ ସିନେପ୍ଲେକ୍ସର ଏକ ଭିଡିଓ ଭାଇରାଲ ହୋଇଛି। ଶୋ ଶେଷ ହେବା ପରେ ଗୋଟିଏ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ଥଣ୍ଡା ପାନୀୟକୁ ନେଇ ମୁହାଁମୁହିଁ ହୋଇଥିଲା। ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି।
ଆମେ ଏ ବିଷୟରେ ଅମରୋହା ନଗର ସିଓ ବିଜୟ ରାଣାଙ୍କ ସହ କଥା ହେଲୁ। ସେ କହିଛନ୍ତି, ‘ଥଣ୍ଡା ପାନୀୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଉଭୟ ଗୋଟିଏ ସମୁଦାୟର ଥିଲେ।‘
ଅନ୍ୟପକ୍ଷରେ, ଅମରୋହାର ଦୈନିକ ଜାଗରଣର ବ୍ୟୁରୋ ଚିଫ୍ ଅନିଲ ଅୱସ୍ତି କହିଛନ୍ତି ଯେ, ‘ମାଧୌ ସିନେପ୍ଲେକ୍ସରେ ଥଣ୍ଡା ପାନୀୟକୁ ନେଇ ଝଗଡ଼ା ହୋଇଥିଲା। ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ଏପରି ସଂଘର୍ଷ ଭଳି କୌଣସି ମାମଲା ନାହିଁ।‘
ଆମେ ଫେସବୁକ ବ୍ୟବହାରକାରୀ ‘ୱାହିଦ ଜମାନ’ଙ୍କର ପ୍ରୋଫାଇଲ୍ ସ୍କାନ କଲୁ ଯିଏ ଭ୍ରମାତ୍ମକ ଦାବି ସହିତ ଭିଡିଓ ସେୟାର କରିଛନ୍ତି। ପ୍ରୋଫାଇଲ୍ ଅନୁଯାୟୀ ସେ ଆସାମର ନଗାଓଁର ଏବଂ ଏକ ରାଜନୈତିକ ଦଳର ସଦସ୍ୟ ଅଛନ୍ତି।
ପଠାନ ଚଳଚ୍ଚିତ୍ର ବିଷୟରେ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହୋଇସାରିଛି। ବିଶ୍ୱାସ ନ୍ୟୁଜ୍ ର ଅନୁସନ୍ଧାନ ଏଠାରେ ପଢ଼ା ଯାଇପାରିବ।
ନିଷ୍କର୍ଷ: ଅମରୋହା ସ୍ଥିତ ମାଧୌ ସିନେପ୍ଲେକ୍ସରେ ଥଣ୍ଡା ପାନୀୟକୁ ନେଇ ପଠାନ୍ ଚଳଚ୍ଚିତ୍ର ଦେଖିବାକୁ ଆସିଥିବା ଦର୍ଶକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏକ ଭୁଲ୍ ଦାବି ସହିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଉଛି।
- Claim Review : ଶାହରୁଖ ଖାନଙ୍କ ସମର୍ଥକମାନେ ଥିଏଟରରେ ବଜରଙ୍ଗ ଦଳ ସଦସ୍ୟ ଏବଂ ବିରୋଧକାରୀମାନଙ୍କୁ ମାଡ଼ ମାରିଲେ
- Claimed By : ୱାହିଦ ଜମାନ
- Fact Check : Misleading

Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
-
Whatsapp 9205270923
-
Email-Id contact@vishvasnews.com